ବୌଦ୍ଧ / ଏରନ୍ ନ୍ୟୁଜ / ୧୭ -୧୦ ଅସୁବିଧା ସମୟରେ ବୀମାଧାରୀ ଓ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲକ୍ଷ୍ୟନେଇ କେନ୍ଦ୍ର ସରକାର ପ୍ରଚଳନ କରିଥିବା ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା ଅନେକ କ୍ଷେତ୍ରରେ ଫେଲ ମାରୁଥିବା ନେଇ ଅଭିଯୋଗ ଆସିଛି । ବ୍ୟାଙ୍କ କତୃପକ୍ଷ ବୀମା ପାଇଁ ଖାତାଧାରୀଙ୍କ ନିକଟରୁ ପ୍ରିମିୟମ ଠିକ ସମୟରେ କାଟି ନେଉଛନ୍ତି ମାତ୍ର ସର୍ଭିସ ଦେବା ସମୟରେ ହିତାଧିକାରୀଙ୍କୁ ନାନା ହଇରାଣ ହରକତ କରୁଛନ୍ତି । ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ସହରରେ । ସହରର ବୁଟୁପାଲିରେ ବାସକରୁଥିବା ଦିବ୍ୟାଙ୍ଗ ଶ୍ରୀକାନ୍ତ ନାୟକଙ୍କୁ ଖାଉଟି ଅଦାଲତର ଆଦେଶ ସତ୍ୱେ ବୀମା ରାଶି ପ୍ରଦାନ ନକରିବାରୁ ଶେଷରେ ବୌଦ୍ଧ ଜିଲା ଖାଉଟି ସୁରକ୍ଷା ଫୋରମ ବୌଦ୍ଧ ସହରର ପଞ୍ଜାବ ନେସନାଲ ବ୍ୟାଙ୍କ ମେନେଜରଙ୍କ ବିରୋଧରେ ଗିରଫ ପରୱାନା ଜାରୀ କରିଛନ୍ତି । ପ୍ରକାଶ ଯେ, ଶ୍ରୀକାନ୍ତ ନାୟକ ଦିର୍ଘ ବର୍ଷରୁ ପଞ୍ଜାବ ନେସନାଲ ବ୍ୟାଙ୍କର ଜଣେ ହିତାଧିକାରୀ ଅଟନ୍ତି । ପ୍ରତିବର୍ଷ ତାଙ୍କ ଜମାଖାତାରୁ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା ବାବଦରେ ୧୨ ଟଙ୍କା ପ୍ରିମିୟମ ବ୍ୟାଙ୍କ କତୃପକ୍ଷ କାଟି ରଖିଥାଆନ୍ତି । ଏହି ବୀମା ଯୋଜନାରେ ହିତାଧିକାରୀଙ୍କ ଯଦି ଦୁର୍ଘଟଣାରେ ମୃତ୍ୟୁ ହୁଏ କିମ୍ବା ସଂପୂର୍ଣ୍ଣ ଭାବେ ଅକର୍ମଣ୍ୟ ହୋଇଯାଆନ୍ତି ତେବେ ବୀମା କମ୍ପାନୀ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥାଆନ୍ତି । ଯଦି ହିତାଧିକାରୀ ଅଧା ଅକର୍ମଣ୍ୟ ହୋଇଯାଆନ୍ତି ତେବେ ବୀମା କମ୍ପାନୀ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଥାଆନ୍ତି । ଶ୍ରୀକାନ୍ତ ନାୟକ ଗତ ୨୦୧୫ ମସିହାରେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହାତ ହେବା ସହ ଗୋଟିଏ ଗୋଡ ସଂପୂର୍ଣ୍ଣ ଭାବେ ଅକାମୀ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗରୁ ଏସଂପର୍କିତ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଶ୍ରୀକାନ୍ତ ନାୟକ ଠିକ ସମୟରେ ଦାଖଲ କରି କ୍ଷତିପୂରଣ ବାବଦର ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପଞ୍ଜାବ ନେସନାଲ ବ୍ୟାଙ୍କ ଏବଂ ଓରିଏଂଟାଲ ଇନସ୍ୟୁରେନ୍ସ କମ୍ପାନୀ ନିକଟରେ ଦାବୀ କରିଥିଲେ । ମାତ୍ର ଦିର୍ଘଦିନ ବିତିଯିବା ପରେ ମଧ୍ୟ ଶ୍ରୀନାୟକ କ୍ଷତିପୂରଣ ନପାଇବାରୁ ଶେଷରେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ଖାଉଟି ଅଦାଲତ ସମସ୍ତ ବିଚାର କରିବା ପରେ ୨୦୧୮ ମସିହାରେ ଶ୍ରୀକାନ୍ତ ନାୟକଙ୍କୁ ବୀମା ରାଶି ବାବଦରେ ଏକ ଲକ୍ଷ ଟଙ୍କା ଓ ସୁଧ ପ୍ରଦାନ କରିବାକୁ ପଞ୍ଜାବ ନେସନାଲ ବ୍ୟାଙ୍କ କତୃପକ୍ଷଙ୍କୁ ଆଦେଶ ଦେଇଥିଲେ । ପଞ୍ଜାବ ନେସନାଲ ବ୍ୟାଙ୍କ କତୃପକ୍ଷ ଜିଲା ଖାଉଟି ବିବାଦ ସମାଧାନ ମଂଚର ରାୟ ବିରୋଧରେ ରାଜ୍ୟ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ । ସେଠାରେ ମଧ୍ୟ ଶ୍ରୀକାନ୍ତ ନାୟକଙ୍କ ସପକ୍ଷରେ ରାୟ ପ୍ରଦାନ କରାଯାଇଥିଲା । ଏସବୁ ସତ୍ୱେ ମଧ୍ୟ ପଞ୍ଜାବ ନେସନାଲ ବ୍ୟାଙ୍କ କତୃପକ୍ଷ ୨ ବର୍ଷ ବିତିଯାଇଥିଲେ ମଧ୍ୟ ବିଭିନ୍ନ ବାହାନା କରି ଶ୍ରୀକାନ୍ତ ନାୟକଙ୍କୁ ବୀମା ରାଶି ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିନାହାନ୍ତି । ଫଳରେ ଜିଲା ଖାଉଟି ବିବାଦ ସମାଧାନ ମଂଚ ଗତ ମାସରେ ପଞ୍ଜାବ ନେସନାଲ ବ୍ୟାଙ୍କ ମେନେଜରଙ୍କ ବିରୋଧରେ ଗିରଫ ପରୱାନା ଜାରୀ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଦିବ୍ୟାଙ୍ଗ ଶ୍ରୀକାନ୍ତ ନାୟକ କେବେ ନ୍ୟାୟ ପାଉଛନ୍ତି ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
Download our Android App by using the Link
https://mega.nz/file/tLgUDAIB#Rm-pp9o8L8eoQiWr888XX7MZZj_fuff6VdIAWCMksj8
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id