ବୌଦ୍ଧ / ଏରନ୍ ନ୍ୟୁଜ / ୧୩ -୦୯: ଶିକ୍ଷା ଦ୍ୱାରା ମଣିଷକୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥାଏ ଏବଂ ଶିକ୍ଷା ଦ୍ୱାରା ମଣିଷର ସାମଗ୍ରିକ ବିକାଶ ହୋଇଥାଏ। ଗୁଣାତ୍ମକ ଶିକ୍ଷା ଯୋଗ୍ୟତା ପ୍ରାପ୍ତ ଶିକ୍ଷକ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଶିକ୍ଷା କ୍ଷେତ୍ରରେ ସରକାର ବହୁତ ପଦକ୍ଷେପ ନେଇଥିଲେ ମଧ୍ୟ ଯେତେବେଳେ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ଆସେ ସେତେବେଳେ ସରକାର ବହୁତ ପଛରେ । ଆମ ଭାରତରେ ଜନଗଣନା ଅନୁସାରେ ପ୍ରାୟ 2.68 କୋଟି ଦିବ୍ୟାଙ୍ଗଙ୍କ ମଧ୍ୟରୁ ମାତ୍ର 78 ଲକ୍ଷ ସ୍କୁଲ୍ କୁ ଆସୁଛନ୍ତି। ଯାହାକି ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍ ଏବଂ ଆମ ରାଜ୍ୟ ଓଡ଼ିଶା କୁ ବିଚାରକୁ ନେଲେ ପ୍ରାୟ 196568 ମଧ୍ୟରୁ 96930 ସ୍କୁଲ୍ କୁ ଆସୁଛନ୍ତି ଏବଂ 68 ପ୍ରତିଶତ ଦିବ୍ୟାଙ୍ଗ କେବଳ ସ୍କୁଲରେ ନାମ ଲେଖାଉଛନ୍ତି ।
ସରକାର ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ପାଇଁ ଅନେକ ଯୋଜନା କଲେ ମଧ୍ୟ ତାହା କେବଳ ଖାତା କଲମରେ ସୀମିତ ରହୁଛି ଏବଂ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଭାରତ ସରକାର “ସମଗ୍ର ଶିକ୍ଷା ” ଯୋଜନାରେ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ଉପରେ ବହୁତ ପଦକ୍ଷେପ ନେଇଥିଲେ ମଧ୍ୟ ତାହା ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି। ଓଡି଼ଶା ଅନ୍ୟ ରାଜ୍ୟ ତୁଳନାରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶିକ୍ଷାରେ ଖର୍ଚ୍ଚ ହେଉଥିବା ଟଙ୍କା ଯଥେଷ୍ଟ କମ୍। ସମଗ୍ର ଶିକ୍ଷା ଯୋଜନା ହିସାବରେ ସମସ୍ତ ସ୍କୁଲ ଓ କ୍ଲଷ୍ଟର ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ଉଲ୍ଲେଖ ରହିଛି। ରାଜ୍ୟରେ ସମସ୍ତ ଜିଲ୍ଲାରେ ସ୍ବତନ୍ତ୍ର ସ୍କୁଲ ଥିଲେ ମଧ୍ୟ ସମସ୍ତ ପିତାମାତା ନିଜଠୁ ଦୂରରେ ପିଲାଙ୍କୁ ଛାଡିବା ପାଇଁ ଇଚ୍ଛା କରୁ ନାହାନ୍ତି। ତେଣୁ ଦିବ୍ୟାଙ୍ଗ ମାନଙ୍କୁ ତାଙ୍କ ଘର ପାଖରେ ଶିକ୍ଷାଦାନ ଦରକାର। ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ କେବଳ ଭତ୍ତା ଓ ସଂରକ୍ଷଣ ସହାୟକ ଦେଲେ ହେବ ନାହିଁ , ତାଙ୍କୁ ସ୍ଵତନ୍ତ୍ର ଶିକ୍ଷା ଦରକାର । ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ପାଇଁ ଗୃହ ଭିତ୍ତିକ ଶିକ୍ଷା, ମୁକ୍ତ ଶିକ୍ଷା ପ୍ରଣାଳୀ, ଗୋଷ୍ଠୀ ଭିତ୍ତିକ ଥଇଥାନ, ଭ୍ରାମ୍ୟମାଣ ଶିକ୍ଷା ଆଦି ଦରକାର।
ଏହା କେବଳ ସେତେବେଳେ ସମ୍ଭବ ହୋଇ ପାରିବ ଯେତେବେଳେ ରାଜ୍ୟର ପ୍ରାଇମେରୀ ଓ ସେକେଣ୍ଡାରି ସ୍କୁଲରେ ଉପଯୁକ୍ତ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରାଯିବ। ଆମ ସମାଜରେ ଦିବ୍ୟାଙ୍ଗ ମାନଙ୍କ ପ୍ରତି ଥିବା ଅବହେଳା ମନୋଭାବ ଓ ଚିନ୍ତାଧାରା କୁ ଶିକ୍ଷା ଜନ ସଚେତନ ମାଧ୍ୟମରେ ଦୂର କରାଯାଇ ପାରିବ। ଏବଂ ଦିବ୍ୟାଙ୍ଗ ମାନଙ୍କ ପିତା ମାତା ମାନଙ୍କୁ ମଧ୍ୟ ସଚେତନ କରିବାକୁ ପଡ଼ିବ। ତାଙ୍କୁ ସମାଜରେ ସଫଳତା ପାଇଥିବା ଦିବ୍ୟାଙ୍ଗ ମାନଙ୍କ ବିଷୟରେ ଜଣାଇବାକୁ ପଡ଼ିବ ଏବଂ ସମାଜରେ ଜାଗ୍ରତ କରିବାକୁ ପଡ଼ିବ ଯେ ଭିନ୍ନକ୍ଷମ ମାନେ ହେଲେ ଭିନ୍ନ ଭାବରେ ସକ୍ଷମ ।
ଆଜି ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ଆଖି ଥାଇ ବି ଅନ୍ଧ ହେବା ଭଳି କାରଣ ଶିକ୍ଷା ଦେବା ପାଇଁ ହଜାର ହଜାର ସ୍ଵତନ୍ତ୍ର ଶିକ୍ଷକ ବେକାର ଥିବା ବେଳେ, ସ୍କୁଲରେ ସ୍ଵତନ୍ତ୍ର ଶିକ୍ଷା ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷକ ନାହାନ୍ତି। ବିଭିନ୍ନ ଯୋଜନାରେ ଭିନ୍ନକ୍ଷମ ମାନଙ୍କ ଶିକ୍ଷା ନୀତିରେ ଲେଖିଦେଲେ ହେବ ନାହିଁ। ତାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ଏବଂ ଆବଶ୍ୟକୀୟ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଓ ଉପକରଣ ଯୋଗାଇ ଦେବାକୁ ପଡ଼ିବ । ସରକାର ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷା ଓ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଉଥିଲେ ମଧ୍ୟ ତାହା ଭିନ୍ନକ୍ଷମ ଙ୍କ ଶିକ୍ଷାରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। କିନ୍ତୁ କାର୍ଯ୍ୟକାରୀ କରିବା ପାଇଁ ପଡ଼ିବ। ଦିବ୍ୟାଙ୍ଗମାନେ ସେତେବେଳେ ତାଙ୍କ ପୂର୍ଣ୍ଣ ଅଧିକାର ପାଇବେ। ଯେତେବେଳେ ତାଙ୍କର ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ସରକାର ନେବେ ଏବଂ ସେମାନେ ତାଙ୍କ ହାତ ପାହାନ୍ତାରେ ଶିକ୍ଷା ଗ୍ରହଣ କରି ପାରିବେ।
( ଏରନ୍ ନ୍ୟୁଜ ବ୍ୟୁରୋ ରିପୋର୍ଟ )
subscribe us for latest News
ଆମର ଏହି ଲେଖା ଆପଣଂକୁ କିପରି ଲାଗିଲା ମତାମତ ଦିଅନ୍ତୁ , ଯଦି ଭଲ ଲାଗୁଛି ତେବେ ଲାଇକ ଓ ଶେୟର କରନ୍ତୁ
Visit / share / like/ subscribe our channel for News & Views
Whats-app = 9178482265 Mail-Id